Menu

ଗୀତସଂହିତା 88

IRV

1 ସଦାପ୍ରଭୋ, ମୋʼ ପରିତ୍ରାଣର ପରମେଶ୍ୱର, ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି;

2 ମୋʼ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ମୋʼ କାକୂକ୍ତିରେ କର୍ଣ୍ଣପାତ କର;

3 କାରଣ ମୋʼ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ ଓ ମୋʼ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି।

4 ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ; ମୁଁ ଅସହାୟ ଲୋକର ସମାନ।

5 ଯେଉଁ କବରଶାୟୀ ହତ ଲୋକମାନଙ୍କୁ ତୁମ୍ଭେ ଆଉ ସ୍ମରଣ କରୁ ନାହଁ ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି, ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି।

6 ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ, ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ।

7 ତୁମ୍ଭର କୋପ ମୋʼ ଉପରେ ପ୍ରବଳ ହୋଇ ରହୁଅଛି ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ। [ସେଲା]

8 ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋʼ ଠାରୁ ଦୂରରେ ରଖିଅଛ; ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ। ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ।

9 କ୍ଳେଶ ସକାଶୁ ମୋʼ ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୋ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି, ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି।

10 ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ? ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ? [ସେଲା]

11 କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ?

12 ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ?

13 ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି ଓ ପ୍ରଭାତରେ ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ।

14 ହେ ସଦାପ୍ରଭୋ, ତୁମ୍ଭେ କାହିଁକି ମୋʼ ପ୍ରାଣକୁ ପରିତ୍ୟାଗ କରୁଅଛ? ତୁମ୍ଭେ କାହିଁକି ମୋʼ ଠାରୁ ଆପଣା ମୁଖ ଲୁଚାଉଅଛ?

15 ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ; ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି।

16 ତୁମ୍ଭ ପ୍ରଚଣ୍ଡ କୋପ ମୋʼ ଉପର ଦେଇ ଯାଇଅଛି; ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି।

17 ତାହାସବୁ ସାରାଦିନ ଜଳ ପରି ମୋʼ ଚାରିଆଡ଼େ ଉପସ୍ଥିତ; ତାହାସବୁ ଏକତ୍ର ମୋʼ ଚାରିଆଡ଼େ ବେଷ୍ଟନ କଲେ।

18 ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋʼ ଠାରୁ ଦୂରରେ ଓ ମୋʼ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।

Everything we make is available for free because of a generous community of supporters.

Donate