Menu

ଗୀତସଂହିତା 86

IRV

1 ହେ ସଦାପ୍ରଭୋ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ; କାରଣ ମୁଁ ଦରିଦ୍ର ଓ ଦୀନହୀନ।

2 ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ ଈଶ୍ୱରପରାୟଣ; ହେ ମୋହର ପରମେଶ୍ୱର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର।

3 ହେ ପ୍ରଭୋ, ମୋʼ ପ୍ରତି ଦୟାଳୁ ହୁଅ; କାରଣ ମୁଁ ସାରାଦିନ ତୁମ୍ଭ ନିକଟରେ ଡାକ ପକାଏ।

4 ଆପଣା ଦାସର ପ୍ରାଣ ଆନନ୍ଦିତ କର; କାରଣ ହେ ପ୍ରଭୋ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।

5 ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।

6 ହେ ସଦାପ୍ରଭୋ, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋʼ ନିବେଦନର ରବରେ ମନୋଯୋଗ କର।

7 ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି; କାରଣ ତୁମ୍ଭେ ମୋତେ ଉତ୍ତର ଦେବ।

8 ହେ ପ୍ରଭୋ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ; କିଅବା ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ।

9 ହେ ପ୍ରଭୋ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ।

10 କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ। ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ।

11 ହେ ସଦାପ୍ରଭୋ, ତୁମ୍ଭର ପଥ ମୋତେ ଶିଖାଅ, ମୁଁ ତୁମ୍ଭ ସତ୍ୟତାରେ ଗମନ କରିବି; ତୁମ୍ଭ ନାମକୁ ଭୟ କରିବା ପାଇଁ ମୋତେ ଏକମନା କର।

12 ହେ ପ୍ରଭୋ, ମୋʼ ପରମେଶ୍ୱର, ମୁଁ ସର୍ବାନ୍ତଃକରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି।

13 କାରଣ ମୋʼ ପ୍ରତି ତୁମ୍ଭର ଦୟା ମହତ୍; ପୁଣି, ତୁମ୍ଭେ ନୀଚସ୍ଥ ପାତାଳରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ।

14 ହେ ପରମେଶ୍ୱର, ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, ଦୁରନ୍ତ ଲୋକଙ୍କ ମଣ୍ଡଳୀ ମୋʼ ପ୍ରାଣ ଚାହିଁଅଛନ୍ତି, ସେମାନେ ଆପଣା ଆପଣା ସମ୍ମୁଖରେ ତୁମ୍ଭଙ୍କୁ ରଖି ନାହାନ୍ତି।

15 ମାତ୍ର ହେ ପ୍ରଭୋ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର, ପୁଣି, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।

16 ଆହେ, ମୋʼ ପ୍ରତି ଫେର ଓ ମୋତେ ଦୟା କର; ତୁମ୍ଭ ଦାସକୁ ତୁମ୍ଭର ଶକ୍ତି ପ୍ରଦାନ କର, ପୁଣି, ତୁମ୍ଭ ଦାସୀର ପୁତ୍ରକୁ ପରିତ୍ରାଣ କର।

17 ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; ତହିଁରେ ମୋʼ ଘୃଣାକାରୀମାନେ ତାହା ଦେଖି ଲଜ୍ଜିତ ହେବେ, ଯେହେତୁ ହେ ସଦାପ୍ରଭୋ, ତୁମ୍ଭେ ମୋତେ ସାହାଯ୍ୟ କରିଅଛ ଓ ସାନ୍ତ୍ୱନା ଦେଇଅଛ।

Everything we make is available for free because of a generous community of supporters.

Donate