Menu

ଗୀତସଂହିତା 76

IRV

1 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି; ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ।

2 ମଧ୍ୟ ଶାଲେମ୍‍ରେ ତାହାଙ୍କର ଆବାସ ଓ ସିୟୋନରେ ତାହାଙ୍କର ବାସସ୍ଥାନ।

3 ସେଠାରେ ସେ ଧନୁତୀରସବୁ, ଢାଲ, ଖଡ୍ଗ ଓ ଯୁଦ୍ଧ ଭଙ୍ଗ କଲେ। [ସେଲା]

4 ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ୱିତ।

5 ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି, ସେମାନେ ନିଦ୍ରାରେ ନିଦ୍ରିତ ହୋଇଅଛନ୍ତି; ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ।

6 ହେ ଯାକୁବର ପରମେଶ୍ୱର, ତୁମ୍ଭ ତର୍ଜ୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି।

7 ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର ଓ ତୁମ୍ଭେ ଥରେ କ୍ରୋଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ?

8 ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ; ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ

9 ବିଚାର କରିବାକୁ ଉଠିବା ବେଳେ ପୃଥିବୀ ଭୀତ ଓ ନୀରବ ହେଲା। [ସେଲା]

10 ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ; ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।

11 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର; ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ।

12 ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି; ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି।

Everything we make is available for free because of a generous community of supporters.

Donate