Menu

ଗୀତସଂହିତା 75

IRV

1 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ; ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ, କାରଣ ତୁମ୍ଭ ନାମ ନିକଟବର୍ତ୍ତୀ; ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରନ୍ତି।

2 ଆମ୍ଭେ ନିରୂପିତ ସମୟ ପ୍ରାପ୍ତ ହେଲେ ଯଥାର୍ଥ ରୂପେ ବିଚାର କରିବା।

3 ପୃଥିବୀ ଓ ତନ୍ନିବାସୀ ସମସ୍ତେ ତରଳି ଯାଉଅଛନ୍ତି; ଆମ୍ଭେ ତହିଁର ସ୍ତମ୍ଭସକଳ ସ୍ଥାପନ କରିଅଛୁ। [ସେଲା]

4 ଆମ୍ଭେ ଗର୍ବୀକୁ କହିଲୁ, “ଗର୍ବାଚରଣ କର ନାହିଁ,” ଆମ୍ଭେ ଦୁଷ୍ଟକୁ କହିଲୁ, “ଶୃଙ୍ଗ ଉଠାଅ ନାହିଁ;

5 ତୁମ୍ଭମାନଙ୍କ ଶୃଙ୍ଗ ଊର୍ଦ୍ଧ୍ୱକୁ ଉଠାଅ ନାହିଁ; ଶକ୍ତଗ୍ରୀବ ହୋଇ କଥା କୁହ ନାହିଁ।”

6 କାରଣ ପୂର୍ବ ଦିଗରୁ, କିମ୍ବା ପଶ୍ଚିମ ଦିଗରୁ, କିଅବା ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ।

7 ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି; ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି।

8 ଯେହେତୁ ସଦାପ୍ରଭୁଙ୍କ ହସ୍ତରେ ଏକ ପାନପାତ୍ର ଅଛି ଓ ଦ୍ରାକ୍ଷାରସରୁ ଫେଣ ବାହାରୁ ଅଛି; ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳି ଦିଅନ୍ତି; ନିଶ୍ଚୟ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ଖାଦ ନିଗାଡ଼ି ପିଇବେ।

9 ମାତ୍ର ମୁଁ ସଦାକାଳ ପ୍ରଚାର କରିବି, ମୁଁ ଯାକୁବର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।

10 ଆମ୍ଭେ ଦୁଷ୍ଟମାନଙ୍କ ଶୃଙ୍ଗସବୁ କାଟି ପକାଇବା। ମାତ୍ର ଧାର୍ମିକମାନଙ୍କ ଶୃଙ୍ଗ ଉଚ୍ଚୀକୃତ ହେବ।

Everything we make is available for free because of a generous community of supporters.

Donate