Menu

କଲସୀୟ 4

IRV

1 ହେ କର୍ତ୍ତାମାନେ, ସ୍ୱର୍ଗରେ ତୁମ୍ଭମାନଙ୍କ ମଧ୍ୟ କର୍ତ୍ତା ଅଛନ୍ତି ବୋଲି ଜାଣି ଆପଣା ଆପଣା ଦାସମାନଙ୍କ ପ୍ରତି ନ୍ୟାୟ ଓ ସମାନ ବ୍ୟବହାର କର।

2 ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ, ପୁଣି, ଧନ୍ୟବାଦ ସହ ସେଥିରେ ଜାଗ୍ରତ ଥାଅ;

3 ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ବର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ,

4 ତାହା ଉଚିତ୍ ମତରେ କଥା କହି ପ୍ରକାଶ କରିପାରେ।

5 ସୁଯୋଗର ସଦ୍‍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କର।

6 ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି, ଲବଣରେ ଅନୁଗ୍ରହଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର।

7 ପ୍ରିୟ ଭ୍ରାତା, ପୁଣି, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ସହଦାସ ଯେ ତୁଖିକ ସେ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ;

8 ଏହି ଉଦ୍ଦେଶ୍ୟରେ ହିଁ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ।

9 ତାହାଙ୍କ ସଙ୍ଗରେ ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନୀସିମଙ୍କୁ ପଠାଇଲି, ସେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ।

10 ମୋହର ସହବନ୍ଦୀ ଆରିସ୍ତାର୍ଖ ପୁଣି, ବର୍ଣ୍ଣବ୍ବାଙ୍କ କୁଟୁମ୍ବୀୟ ଭ୍ରାତା ମାର୍କ (ଏହାଙ୍କ ସମ୍ବନ୍ଧରେ ତୁମ୍ଭେମାନେ ଆଦେଶ ପାଇଅଛ; ସେ ଯଦି ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ତେବେ ତାହାଙ୍କୁ ଗ୍ରହଣ କର) ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି,

11 ଆଉ, ଯୂସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ସୁନ୍ନତିପ୍ରାପ୍ତ ବିଶ୍ୱାସୀମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ବରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ ଏମାନେ ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି।

12 ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ବରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ।

13 କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ପୁଣି, ଲାଅଦିକିଆ ଓ ହିଏରାପଲି ନିବାସୀମାନଙ୍କ ନିମନ୍ତେ ଯେ ଅଧିକ କଷ୍ଟ ସ୍ୱୀକାର କରୁଅଛନ୍ତି, ତାହାଙ୍କ ପକ୍ଷରେ ମୁଁ ଏହି ସାକ୍ଷ୍ୟ ଦେଉଅଛି।

14 ପ୍ରିୟ ବୈଦ୍ୟ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।

15 ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍‍ଫା ଓ ତାହାଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ।

16 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଲା ପରେ ଲାଅଦିକିଆ ମଣ୍ଡଳୀରେ ମଧ୍ୟ ଯେପରି ପାଠ କରାଯାଏ, ପୁଣି, ଲାଅଦିକିଆରୁ ଯେଉଁ ପତ୍ର ଆସିବ, ତାହା ତୁମ୍ଭେମାନେ ମଧ୍ୟ ଯେପରି ପାଠ କର, ଏଥିନିମନ୍ତେ ଯତ୍ନ କର।

17 ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପୂର୍ଣ୍ଣ କରିବାକୁ ସାବଧାନ ହୋଇଥାଅ।

18 ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।

Everything we make is available for free because of a generous community of supporters.

Donate