Menu

କଲସୀୟ 3

IRV

1 ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ, ତେବେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ, ସେହି ଊର୍ଦ୍ଧ୍ୱସ୍ଥାନ ବିଷୟସବୁ ଅନ୍ୱେଷଣ କର।

2 ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥାନ ବିଷୟରେ ଆସକ୍ତ ହୁଅ।

3 କାରଣ ତୁମ୍ଭେମାନେ ମରିଅଛ, ଆଉ ତୁମ୍ଭମାନଙ୍କର ଜୀବନ ଈଶ୍ବରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି।

4 ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ।

5 ଅତଏବ, ତୁମ୍ଭମାନଙ୍କର ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର କୁକର୍ମଗୁଡ଼ିକ, ଅର୍ଥାତ୍‍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି, ପ୍ରତିମାପୂଜା, ଲୋଭ, ଏହିସବୁ ପ୍ରତି ମୃତ ହୁଅ;

6 ଏହିସବୁ ହେତୁରୁ ଈଶ୍ବରଙ୍କ କ୍ରୋଧ ବର୍ତ୍ତେ,

7 ପୂର୍ବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟରେ ଆସକ୍ତ ଥାଇ ସେହି ପ୍ରକାରେ ଆଚରଣ କରୁଥିଲ।

8 କିନ୍ତୁ ଏବେ ତୁମ୍ଭେମାନେ ମଧ୍ୟ ଏହିସବୁ ବିଷୟ, ଅର୍ଥାତ୍‍ କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ଏହିସବୁ ପରିତ୍ୟାଗ କର।

9 ପରସ୍ପର ମିଥ୍ୟା କୁହ ନାହିଁ ତୁମ୍ଭେମାନେ ତ ପୁରାତନ ସ୍ୱଭାବ

10 ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ ନୂତନୀକୃତ ହେଉଅଛି;

11 ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି।

12 ଅତଏବ, ଈଶ୍ବରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର।

13 ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର।

14 ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ।

15 ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ।

16 ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ବରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର।

17 ଆଉ, ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ।

18 ହେ ଭାର୍ଯ୍ୟାମାନେ, ପ୍ରଭୁଙ୍କ ସହଭାଗିତାର ଉପଯୁକ୍ତ ଆଚରଣ ଅନୁସାରେ ଆପଣା ଆପଣା ସ୍ୱାମୀମାନଙ୍କ ବଶୀଭୂତା ହୁଅ।

19 ହେ ସ୍ୱାମୀମାନେ, ଆପଣା ଆପଣା ଭାର୍ଯ୍ୟାମାନଙ୍କୁ ପ୍ରେମ କର, ସେମାନଙ୍କ ପ୍ରତି କଟୁ ବ୍ୟବହାର କର ନାହିଁ।

20 ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର।

21 ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି।

22 ହେ ଦାସମାନେ, ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ କର୍ମ ନ କରି ବରଂ ପ୍ରଭୁଙ୍କୁ ଭୟ କରି ହୃଦୟର ସରଳତାରେ ସବୁ ବିଷୟରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କ ଆଜ୍ଞାବହ ହୁଅ।

23 ତୁମ୍ଭେମାନେ ଯାହା କିଛି କର, ପ୍ରଭୁଙ୍କ ନିମନ୍ତେ କଲା ପରି ଅନ୍ତର ସହ ତାହା କର, ମନୁଷ୍ୟ ନିମନ୍ତେ କଲା ପରି କର ନାହିଁ;

24 ପ୍ରଭୁଙ୍କଠାରୁ ଉତ୍ତରାଧିକାରରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କର ସେବା କର,

25 କାରଣ ଯେ ଅନ୍ୟାୟ କରେ, ସେ ଆପଣା ଅନ୍ୟାୟର ପ୍ରତିଫଳ ପାଇବ; ସେ ବିଷୟରେ କୌଣସି ମୁଖାପେକ୍ଷା ନାହିଁ।

Everything we make is available for free because of a generous community of supporters.

Donate