Menu

୧ ଥେସଲନୀକୀୟ 2

IRV

1 ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବୃଥା ହୋଇ ନାହିଁ।

2 ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣ ଈଶ୍ବରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ବରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁ।

3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା,

4 କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ବରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁଅଛୁ; ଅତଏବ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ବର, ବରଂ ଆମ୍ଭେମାନେ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁ।

5 ତୁମ୍ଭେମାନେ ତ ଜାଣ ଯେ, ଆମ୍ଭେମାନେ କୌଣସି ପ୍ରକାର ଚାଟୁବାଦ ବ୍ୟବହାର କରି ନାହୁଁ, କିଅବା ଲୋଭର ଛଳନାତ୍ମକ ବାକ୍ୟ କହିନାହୁଁ, ଈଶ୍ବର ଏଥିର ସାକ୍ଷୀ।

6 ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ୱରୂପେ ଆମ୍ଭେମାନେ ସମ୍ଭ୍ରମ ଦାବି କରିପାରିଥାଆନ୍ତୁ, ତଥାପି ତୁମ୍ଭମାନଙ୍କଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ କୌଣସି ମନୁଷ୍ୟଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ।

7 କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ମୃଦୁଶୀଳ ହୋଇ, ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ,

8 ସେହି ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ସ୍ନେହ ଥିବାରୁ ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ପ୍ରାଣ ଦେବାକୁ ସୁଧା ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରିୟପାତ୍ର ହୋଇଥିଲ।

9 ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥିନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ବରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ।

10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ବର ମଧ୍ୟ ସାକ୍ଷୀ।

11 ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ,

12 ଯେପରି ତୁମ୍ଭମାନଙ୍କ ଆହ୍ୱାନକାରୀ ଈଶ୍ବରଙ୍କ ଯୋଗ୍ୟ ଆଚରଣ କରି, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହୋଇପାର।

13 ଆଉ, ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ବରଙ୍କ ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ବରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ସେହି ବାକ୍ୟକୁ ମନୁଷ୍ୟର ବାକ୍ୟ ରୂପେ ଗ୍ରହଣ ନ କରି ବରଂ ଈଶ୍ବରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ବରଙ୍କ ବାକ୍ୟ ଅଟେ, ପୁଣି, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି।

14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦିୟା ପ୍ରଦେଶସ୍ଥ ଈଶ୍ବରଙ୍କ ମଣ୍ଡଳୀ-ସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହିସବୁ ଦୁଃଖଭୋଗ କରୁଅଛ।

15 ସେହି ଯିହୁଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ, ପୁଣି, ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡ଼ନା କଲେ; ସେମାନେ ଈଶ୍ବରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,

16 କାରଣ ଅଣଯିହୁଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାଆନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି।

17 କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ।

18 ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା।

19 କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା, ଆନନ୍ଦ କି ଦର୍ପର ମୁକୁଟ କଅଣ? ତାହା କି ତୁମ୍ଭେମାନେ ନୁହଁ?

20 ତୁମ୍ଭେମାନେ ତ ଆମ୍ଭମାନଙ୍କ ଗୌରବ ଓ ଆନନ୍ଦର କାରଣ ଅଟ।

Everything we make is available for free because of a generous community of supporters.

Donate