Menu

୧ ଥେସଲନୀକୀୟ 1

IRV

1 ପାଉଲ, ସିଲ୍ୱାନ ଓ ତୀମଥି, ପିତା ଈଶ୍ବର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରରେ ଥିବା ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

2 ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ ନିରନ୍ତର ସ୍ମରଣ କରି,

3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛୁ;

4 କାରଣ ହେ ଈଶ୍ବରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,

5 ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ।

6 ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,

7 ଯେପରିକି ତୁମ୍ଭେମାନେ ମାକିଦନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ।

8 କାରଣ ତୁମ୍ଭମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ।

9 ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ବରଙ୍କର ସେବା କରିବା ନିମନ୍ତେ,

10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ଵରଙ୍କ ପ୍ରତି ଫେରିଲ।

Everything we make is available for free because of a generous community of supporters.

Donate