Menu

ପ୍ରକାଶିତ 22

IRV

1 ପରେ ଦୂତ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ବର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି।

2 ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳଦାୟକ ଜୀବନ-ବୃକ୍ଷ ଅଛି, ସେଥିରେ ପ୍ରତିମାସରେ ଫଳ ଫଳେ, ପୁଣି, ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ।

3 କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ବର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ।

4 ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ।

5 ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ବର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ।

6 ପରେ ସେ ମୋତେ କହିଲେ, ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ; ଯାହା ଯାହା ଶୀଘ୍ର ଘଟିବ, ସେହିସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ, ଭାବବାଦୀମାନଙ୍କ ଆତ୍ମାସମୂହର ଈଶ୍ବର, ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି।

7 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ଯେ ଏହି ପୁସ୍ତକର ଭାବବାଣୀସବୁ ପାଳନ କରେ, ସେ ଧନ୍ୟ।”

8 ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି।

9 କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର, ତୁମ୍ଭର ଭ୍ରାତୃବୃନ୍ଦ ଭାବବାଦୀମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର।

10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ।

11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ।

12 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି।

13 ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ।

14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ।

15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।

16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”

17 ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।

18 ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ବର ତାହା ପ୍ରତି ଘଟାଇବେ;

19 ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ବର ଏହି ପୁସ୍ତକରେ ଲିଖିତ ଜୀବନ-ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ।

20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, “ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ।” ଆମେନ୍‍, ହେ ପ୍ରଭୁ ଯୀଶୁ, ଆସନ୍ତୁ।

21 ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍‍।

Everything we make is available for free because of a generous community of supporters.

Donate