Menu

ଗଣନା ପୁସ୍ତକ 5

IRV

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,

2 “ପ୍ରତ୍ୟେକ କୁଷ୍ଠୀକୁ ଓ ପ୍ରତ୍ୟେକ ପ୍ରମେହୀକୁ ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକୁ ଛାଉଣିରୁ ବାହାର କରିବା ପାଇଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆଜ୍ଞା ଦିଅ।

3 ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କୁ ବାହାର କରିବ, ତୁମ୍ଭେମାନେ ଛାଉଣିର ବାହାରେ ସେମାନଙ୍କୁ ରଖିବ; ସେମାନଙ୍କର ଯେଉଁ ଛାଉଣି ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି ନ କରନ୍ତୁ।”

4 ତହିଁରେ ଇସ୍ରାଏଲ-ସନ୍ତାନଗଣ ସେହିରୂପ କଲେ, ପୁଣି, ଛାଉଣିର ବାହାରେ ସେମାନଙ୍କୁ ରଖିଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି କହିଲେ, ଇସ୍ରାଏଲ-ସନ୍ତାନଗଣ ସେପରି କଲେ।

5 ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,

6 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୌଣସି ପାପ କରେ ଓ ସେହି ପ୍ରାଣୀ ଦଣ୍ଡନୀୟ ହୁଏ,

7 ତେବେ ସେ ଆପଣା କୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ସକାଶୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି, ତାହାକୁ ଦେବ।

8 ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯଦି ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ, ତାହା ଯାଜକର ହେବ; ତାହା ବ୍ୟତୀତ ଯଦ୍ଦ୍ୱାରା ତାହା ପାଇଁ ପ୍ରାୟଶ୍ଚିତ୍ତ କରାଯିବ, ସେହି ପ୍ରାୟଶ୍ଚିତ୍ତାର୍ଥକ ମେଷବଳି ହିଁ ଦେବାକୁ ହେବ।

9 ପୁଣି, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ।

10 ପ୍ରତ୍ୟେକ ମନୁଷ୍ୟର ଉତ୍ସର୍ଗିତ ପବିତ୍ର ବସ୍ତୁ ତାହାର ହେବ; ମନୁଷ୍ୟ ଯେକୌଣସି ବସ୍ତୁ ଯାଜକକୁ ଦିଏ, ତାହା ତାହାର ହେବ।”

11 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,

12 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ଭାର୍ଯ୍ୟା ଯଦି ବିପଥଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ,

13 ଅର୍ଥାତ୍‍, ଯଦି କୌଣସି ପୁରୁଷ ତାହା ସହିତ ସହବାସ କରେ ଓ ତାହା ତାହାର ସ୍ୱାମୀର ଦୃଷ୍ଟିରୁ ଅଗୋଚର ହୋଇ ଗୁପ୍ତ ହୁଏ ଓ ସେ ଅଶୁଚି ହୁଏ, ପୁଣି, ତାହା ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ, କିଅବା ସେ କର୍ମ ସମୟରେ ଧରା ପଡ଼ି ନ ଥାଏ;

14 ଆଉ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୁଏ ଓ ଭାର୍ଯ୍ୟା ଅଶୁଚି ହେବାରୁ ତାହା ପ୍ରତି ଈର୍ଷାରେ ଜ୍ୱଳେ; ଅବା ଭାର୍ଯ୍ୟା ଅଶୁଚି ନୋହିଲେ ହେଁ ଯଦି ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ତାହା ପ୍ରତି ଈର୍ଷାରେ ଜ୍ୱଳେ;

15 ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ ଓ ତାହା ନିମନ୍ତେ ଐଫାର ଦଶମାଂଶ ଯବ ମଇଦା ଉପହାର ଆଣିବ; ସେ ତହିଁ ଉପରେ ତୈଳ ଢାଳିବ ନାହିଁ ଅବା କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍‍ ଅପରାଧ-ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ।

16 ଏଉତ୍ତାରେ ଯାଜକ ସେହି ସ୍ତ୍ରୀକୁ ନିକଟକୁ ଆଣି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ।

17 ପୁଣି, ଯାଜକ ମୃତ୍ତିକା ପାତ୍ରରେ ପବିତ୍ର ଜଳ ନେବ ଓ ଯାଜକ ଆବାସର ଚଟାଣରୁ ଧୂଳି ନେଇ ସେହି ଜଳରେ ପକାଇବ।

18 ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍‍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି, ଯାଜକ ଆପଣା ହସ୍ତରେ ଅଭିଶାପଜନକ ତିକ୍ତ ଜଳ ରଖିବ।

19 ଆଉ ଯାଜକ ସେହି ସ୍ତ୍ରୀକୁ ଶପଥ କରାଇ କହିବ, ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ନ ଥାଏ ଓ ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି କ୍ରିୟା କରି ନ ଥାଅ, ତେବେ ତୁମ୍ଭେ ଏହି ଅଭିଶାପଜନକ ତିକ୍ତ ଜଳରୁ ମୁକ୍ତ ହୁଅ।

20 ମାତ୍ର ଯଦି ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇଥାଅ ଓ ତୁମ୍ଭେ ଅଶୁଚି ହୋଇଥାଅ, ପୁଣି, ତୁମ୍ଭ ସ୍ୱାମୀ ବ୍ୟତୀତ ଅନ୍ୟ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରିଥାଏ;

21 ତେବେ ସଦାପ୍ରଭୁ ତୁମ୍ଭର ଊରୁ ଅବଶ କରାଇ ଓ ତୁମ୍ଭର ଉଦର ଫୁଲାଇ ତୁମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭଙ୍କୁ ଶପଥ ଓ ରାଣର ଫଳ ଭୋଗ କରାଉନ୍ତୁ;

22 ତହିଁରେ ଏହି ଅଭିଶାପଜନକ ଜଳ ତୁମ୍ଭ ଉଦର ଫୁଲାଇବାକୁ ଓ ଊରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ; ଏହି ସକଳ କଥା କହି ଯାଜକ ରାଣଯୁକ୍ତ ଶପଥ ଦ୍ୱାରା ସେହି ସ୍ତ୍ରୀକୁ ଶପଥ କରାଇବ; ତହିଁରେ ସେହି ସ୍ତ୍ରୀ ଆମେନ୍‍ କହିବ।

23 ପୁଣି, ଯାଜକ ସେହି ଅଭିଶାପର କଥା ନଳାକାର ପୁସ୍ତକରେ ଲେଖିବ ଓ ତାହା ପୋଛି ତିକ୍ତ ଜଳରେ ପକାଇବ।

24 ତହୁଁ ସେ ସେହି ସ୍ତ୍ରୀକୁ ଅଭିଶାପଜନକ ତିକ୍ତ ଜଳ ପିଆଇବ; ତହିଁରେ ସେହି ଅଭିଶାପଜନକ ଜଳ ତାହା ଉଦରରେ ପ୍ରବେଶ କରି ତିକ୍ତ ହେବ।

25 ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ, ପୁଣି, ବେଦି ଉପରକୁ ଆଣିବ;

26 ତହୁଁ ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ମୁଠିଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତାରେ ସେହି ସ୍ତ୍ରୀକୁ ସେହି ଜଳ ପାନ କରାଇବ।

27 ପୁଣି, ସେ ସେହି ସ୍ତ୍ରୀକୁ ଜଳ ପାନ କରାଇଲେ ଏପରି ହେବ, ଯଦି ସେହି ସ୍ତ୍ରୀ ଆପଣା ସ୍ୱାମୀ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅଶୁଚି ହୋଇଥାଏ, ତେବେ ସେହି ଅଭିଶାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ହେବ ଓ ତାହାର ଉଦର ଫୁଲିବ ଓ ତାହାର ଊରୁ ଅବଶ ହେବ; ଆଉ ସେହି ସ୍ତ୍ରୀ ଆପଣା ଲୋକଙ୍କ ମଧ୍ୟରେ ଅଭିଶାପ ସ୍ୱରୂପ ହେବ।

28 ଆଉ ଯଦି ସେହି ସ୍ତ୍ରୀ ଅଶୁଚି ନ ହୋଇ ଶୁଚି ଥାଏ, ତେବେ ସେ ମୁକ୍ତ ହେବ ଓ ଗର୍ଭଧାରଣ କରିବ।

29 ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା, ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଥଗାମିନୀ ହୋଇ ଅଶୁଚି ହେଲେ,

30 ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜ୍ୱଳିଲେ, ସେ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ, ପୁଣି, ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ।

31 ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେହି ସ୍ତ୍ରୀ ଆପଣା ଆପଣା ଅପରାଧ ବୋହିବ।”

Everything we make is available for free because of a generous community of supporters.

Donate