Menu

ମୀଖା 4

IRV

1 ମାତ୍ର ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।

2 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, “ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।

3 ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।

4 ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି।

5 କାରଣ ଯାବତୀୟ ଗୋଷ୍ଠୀ ଆପଣା ଆପଣା ଦେବତାର ନାମରେ ଚାଲିବେ, ପୁଣି ଆମ୍ଭେମାନେ ଅନନ୍ତକାଳ ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା।

6 ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ପଙ୍ଗୁକୁ ସଂଗ୍ରହ କରିବା, ପୁଣି ଯେ ତାଡ଼ିତ ହୋଇଅଛି ଓ ଯାହାକୁ ଆମ୍ଭେ କ୍ଳେଶ ଦେଇଅଛୁ, ତାହାକୁ ଏକତ୍ର କରିବା।

7 ପୁଣି, ଆମ୍ଭେ ପଙ୍ଗୁକୁ ଅବଶିଷ୍ଟାଂଶ କରି ରଖିବା ଓ ଯେ ଦୁରୀକୃତ ହୋଇଥିଲା, ତାହାକୁ ବଳବତୀ ଗୋଷ୍ଠୀ କରିବା ଆଉ, ସଦାପ୍ରଭୁ ଆଜିଠାରୁ ସଦାକାଳ ପର୍ଯ୍ୟନ୍ତ ସିୟୋନ ପର୍ବତରେ ସେମାନଙ୍କ ଉପରେ ରାଜତ୍ୱ କରିବେ।

8 ପୁଣି, ହେ ପଲର ଦୁର୍ଗ, ହେ ସିୟୋନ କନ୍ୟାର ଗିରି, ତାହା ତୁମ୍ଭ ନିକଟକୁ ଆସିବ, ହଁ ପୂର୍ବକାଳର ରାଜ୍ୟ, ଯିରୂଶାଲମ କନ୍ୟାର ରାଜ୍ୟ ଆସିବ।

9 ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ? ତୁମ୍ଭ ମଧ୍ୟରେ କି ରାଜା ନାହିଁ, ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି ସ୍ତ୍ରୀର ପ୍ରସବବେଦନା ତୂଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି?

10 ହେ ସିୟୋନ କନ୍ୟେ, ତୁମ୍ଭେ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀ ପରି ବ୍ୟଥିତା ହୋଇ ପ୍ରସବ କରିବାକୁ ଯତ୍ନ କର; କାରଣ ଏବେ ତୁମ୍ଭେ ନଗରରୁ ବାହାରିଯାଇ ପଦାରେ ବାସ କରିବ ଓ ବାବିଲ ପର୍ଯ୍ୟନ୍ତ ହିଁ ଯିବ; ସେଠାରେ ତୁମ୍ଭେ ଉଦ୍ଧାର ପାଇବ; ସେଠାରେ ସଦାପ୍ରଭୁ ତୁମ୍ଭ ଶତ୍ରୁଗଣର ହସ୍ତରୁ ତୁମ୍ଭକୁ ମୁକ୍ତ କରିବେ।

11 ପୁଣି, ବର୍ତ୍ତମାନ ଅନେକ ଗୋଷ୍ଠୀ ତୁମ୍ଭ ବିରୁଦ୍ଧରେ ଏକତ୍ରିତ ହୋଇଅଛନ୍ତି, ସେମାନେ କହନ୍ତି, “ସେ ଅଶୁଚି ହେଉ ଓ ଆମ୍ଭମାନଙ୍କର ଚକ୍ଷୁ ତହିଁର ଅଭିଳାଷ ସିୟୋନ ପ୍ରତି ସଫଳ ହେବାର ଦେଖୁ।”

12 ମାତ୍ର ସେମାନେ ସଦାପ୍ରଭୁଙ୍କର ସଂକଳ୍ପସବୁ ଜାଣନ୍ତି ନାହିଁ, ଅଥବା ତାହାଙ୍କର ମନ୍ତ୍ରଣା ବୁଝନ୍ତି ନାହିଁ; କାରଣ ସେ ସେମାନଙ୍କୁ ଶସ୍ୟବିଡ଼ା ପରି ଖଳାରେ ଏକତ୍ର କରିଅଛନ୍ତି।

13 ହେ ସିୟୋନ କନ୍ୟେ, ଉଠ, ଶସ୍ୟମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Everything we make is available for free because of a generous community of supporters.

Donate