Menu

ଲୂକ 21

IRV

1 ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ଡାରରେ ନିଜ ନିଜର ଦାନ ପକାଉଥିବା ଦେଖିଲେ।

2 ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି କ୍ଷୁଦ୍ର ମୁଦ୍ରା ପକାଉଥିବା ଦେଖି କହିଲେ,

3 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି,

4 କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହିସବୁ ପକାଇଲା।”

5 ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,

6 “ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”

7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କଅଣ?

8 ସେଥିରେ ଯୀଶୁ କହିଲେ, “ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ।

9 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ।”

10 ତାହା ପରେ ସେ ସେମାନଙ୍କୁ କହିଲେ, “ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ,

11 ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ।

12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;

13 ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ।

14 ଅତଏବ କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର;

15 କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ।

16 କିନ୍ତୁ ତୁମ୍ଭେମାନେ ପିତାମାତା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ,

17 ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ।

18 କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;

19 ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ।”

20 “କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମ ସହରକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ।

21 ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ;

22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ।

23 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ,

24 ଆଉ ସେମାନେ ଖଡ୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୁଦୀ ମଧ୍ୟକୁ ନିଆଯିବେ, ପୁଣି, ଅଣଯିହୁଦୀମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦଦଳିତ ହୋଇ ରହିବ।”

25 “ପୁଣି, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,

26 ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବ।

27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ।

28 କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ।”

29 ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, “ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର;

30 ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ;

31 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ।

32 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ।

33 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”

34 “କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍‍ ତୁମ୍ଭମାନଙ୍କ ଉପରେ ପଡ଼େ;

35 କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ।

36 କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ।”

37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତି ରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ।

38 ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ।

Everything we make is available for free because of a generous community of supporters.

Donate