Menu

ଆୟୁବ 36

IRV

1 ଇଲୀହୂ ଆହୁରି କହିଲା,

2 “ଟିକିଏ ସମ୍ଭାଳ, ମୁଁ ତୁମ୍ଭକୁ ଜଣାଇବି; କାରଣ ପରମେଶ୍ୱରଙ୍କ ପକ୍ଷରେ ମୋହର ଆହୁରି କିଛି କହିବାର ଅଛି।

3 ମୁଁ ଦୂରରୁ ଆପଣା ଜ୍ଞାନ ଆଣିବି ଓ ଆପଣା ସୃଷ୍ଟିକର୍ତ୍ତାଙ୍କର ଧାର୍ମିକତା ପ୍ରତିପନ୍ନ କରିବି;

4 କାରଣ ପ୍ରକୃତରେ ମୋହର କଥା ମିଥ୍ୟା ନୁହେଁ। ଜ୍ଞାନରେ ସିଦ୍ଧ ଜଣେ ତୁମ୍ଭ ସଙ୍ଗେ ଅଛି।

5 ଦେଖ, ପରମେଶ୍ୱର ପରାକ୍ରମୀ ଓ କାହାକୁ ତୁଚ୍ଛ କରନ୍ତି ନାହିଁ; ସେ ବୁଦ୍ଧିବଳରେ ପରାକ୍ରମୀ ଅଟନ୍ତି।

6 ସେ ଦୁଷ୍ଟର ପ୍ରାଣ ରକ୍ଷା କରନ୍ତି ନାହିଁ; ମାତ୍ର ଦୁଃଖଗ୍ରସ୍ତମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି।

7 ସେ ଧାର୍ମିକମାନଙ୍କଠାରୁ ଆପଣା ଦୃଷ୍ଟି ଫେରାନ୍ତି ନାହିଁ; ମାତ୍ର ସେ ସିଂହାସନୋପବିଷ୍ଟ ରାଜାଗଣ ସଙ୍ଗରେ ସଦାକାଳ ସେମାନଙ୍କୁ ସ୍ଥାପନ କରନ୍ତି ଓ ସେମାନେ ଉନ୍ନତ ହୁଅନ୍ତି।

8 ପୁଣି, ଯଦି ସେମାନେ ଜଞ୍ଜିରରେ ବନ୍ଧାଯାʼନ୍ତି ଓ ଦୁଃଖରୂପ ରଜ୍ଜୁରେ ଧରାଯାʼନ୍ତି,

9 ତେବେ ସେ ସେମାନଙ୍କର କ୍ରିୟା, ସେମାନଙ୍କର ଅପରାଧ ଓ ସେମାନଙ୍କର ଗର୍ବାଚରଣ ସେମାନଙ୍କୁ ଦେଖାନ୍ତି।

10 ମଧ୍ୟ ଶିକ୍ଷା ପ୍ରତି ସେ ସେମାନଙ୍କ କର୍ଣ୍ଣ ମୁକ୍ତ କରନ୍ତି ଓ ଅଧର୍ମରୁ ଫେରିବା ପାଇଁ ସେମାନଙ୍କୁ ଆଜ୍ଞା ଦିଅନ୍ତି।

11 ଯଦି ସେମାନେ ଶୁଣି ତାହାଙ୍କର ସେବା କରିବେ, ତେବେ ସେମାନେ ସମୃଦ୍ଧିରେ ଆପଣା ଆପଣା ଦିନ ଓ ସୁଖରେ ଆପଣା ଆପଣା ବର୍ଷ କ୍ଷେପଣ କରିବେ।

12 ମାତ୍ର ସେମାନେ ନ ଶୁଣିଲେ, ଖଡ୍ଗରେ ବିନଷ୍ଟ ହେବେ ଓ ଜ୍ଞାନବର୍ଜ୍ଜିତ ହୋଇ ମରିବେ।

13 ମାତ୍ର ଅନ୍ତଃକରଣରେ ଅଧାର୍ମିକ ଲୋକମାନେ କ୍ରୋଧ ସଞ୍ଚୟ କରନ୍ତି; ସେ ସେମାନଙ୍କୁ ବାନ୍ଧିଲେ, ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି ନାହିଁ।

14 ସେମାନେ ଯୌବନ କାଳରେ ମରନ୍ତି ଓ ଅଶୁଚି ଲୋକମାନଙ୍କ ମଧ୍ୟରେ ସେମାନଙ୍କ ଜୀବନ ବିନଷ୍ଟ ହୁଏ।

15 ସେ ଦୁଃଖୀଲୋକକୁ ତାହାର ଦୁଃଖ ଦ୍ୱାରା ଉଦ୍ଧାର କରନ୍ତି ଓ ଉପଦ୍ରବ ଦ୍ୱାରା ସେମାନଙ୍କର କର୍ଣ୍ଣ ମୁକ୍ତ କରନ୍ତି।

16 ସେ ତୁମ୍ଭକୁ ହିଁ ଦୁଃଖରୁ ବାହାର କରି ସଙ୍କୀର୍ଣ୍ଣତାରହିତ ପ୍ରଶସ୍ତ ସ୍ଥାନକୁ ନେଇଯାଆନ୍ତେ; ଓ ତୁମ୍ଭ ମେଜ ଉପରେ ସଜ୍ଜିତ ଦ୍ରବ୍ୟ ମେଦପୂର୍ଣ୍ଣ ହୁଅନ୍ତା।

17 ମାତ୍ର ତୁମ୍ଭେ ଦୁଷ୍ଟର ବିଚାରରେ ପୂର୍ଣ୍ଣ ଅଛ; ବିଚାର ଓ ଶାସ୍ତି ତୁମ୍ଭକୁ ଧରିଅଛି।

18 କୋପ ଅଛି, ଯେପରି ତୁମ୍ଭେ ଆପଣା ପ୍ରଚୁରତା ଦ୍ୱାରା ଭ୍ରାନ୍ତ ନ ହୁଅ; କିଅବା ପ୍ରାୟଶ୍ଚିତ୍ତର ମହତ୍ତ୍ୱ ତୁମ୍ଭକୁ ନ ଭୁଲାଏ, ଏଥିପାଇଁ ସାବଧାନ।

19 ତୁମ୍ଭେ ଯେପରି ଦୁଃଖଗ୍ରସ୍ତ ନୋହିବ, ଏଥିପାଇଁ ତୁମ୍ଭର ଧନ ଓ ବଳର ସମସ୍ତ ପ୍ରତାପ କି ପ୍ରଚୁର ହେବ?

20 ଯେଉଁ ରାତ୍ରିରେ ଗୋଷ୍ଠୀୟମାନେ ସ୍ୱ ସ୍ୱ ସ୍ଥାନରେ ଉଚ୍ଛିନ୍ନ ହୁଅନ୍ତି, ସେହି ରାତ୍ରି ବାଞ୍ଛା କର ନାହିଁ।

21 ସାବଧାନ, ଅଧର୍ମକୁ ଆଦର କର ନାହିଁ; କାରଣ ତୁମ୍ଭେ ଦୁଃଖଭୋଗ ଅପେକ୍ଷା ଏହା ହିଁ ମନୋନୀତ କରିଅଛ।

22 ଦେଖ, ପରମେଶ୍ୱର ଆପଣା ପରାକ୍ରମରେ ଉଚ୍ଚ ଭାବରେ କାର୍ଯ୍ୟ କରନ୍ତି; ତାହାଙ୍କ ପରି ଶିକ୍ଷକ କିଏ ଅଛି?

23 କିଏ ତାହାଙ୍କର ଗନ୍ତବ୍ୟ ପଥ ନିରୂପଣ କରିଅଛି? ଅବା କିଏ କହିପାରେ, ‘ତୁମ୍ଭେ ଅଧର୍ମ କରିଅଛ?’

24 ତାହାଙ୍କ କାର୍ଯ୍ୟର ମାହାତ୍ମ୍ୟ ପ୍ରକାଶ କରିବାକୁ ସ୍ମରଣ କର, ଲୋକମାନେ ତହିଁର କୀର୍ତ୍ତନ କରିଅଛନ୍ତି।

25 ସମସ୍ତ ଲୋକ ତହିଁ ପ୍ରତି ନିରୀକ୍ଷଣ କରିଅଛନ୍ତି, ମନୁଷ୍ୟ ଦୂରରୁ ତାହା ଦେଖେ।

26 ଦେଖ, ପରମେଶ୍ୱର ମହାନ ଓ ଆମ୍ଭେମାନେ ତାହାଙ୍କୁ ଜାଣୁ ନାହୁଁ; ତାହାଙ୍କ ବର୍ଷର ସଂଖ୍ୟା ଅନନୁସନ୍ଧେୟ।

27 କାରଣ ସେ ଜଳବିନ୍ଦୁସବୁ ଆକର୍ଷଣ କରନ୍ତି, ତାହା ବୃଷ୍ଟି ରୂପେ ତାହାଙ୍କ ବାଷ୍ପରୁ ପଡ଼େ।

28 ଆକାଶ ତାହା ଢାଳି ଦିଏ ଓ ମନୁଷ୍ୟ ଉପରେ ତାହା ବହୁଳ ରୂପେ ବର୍ଷେ।

29 ମେଘମାଳର ପ୍ରସାରଣ ଓ ତାହାଙ୍କ ଚନ୍ଦ୍ରାତପର ଗର୍ଜ୍ଜନ କି କେହି ବୁଝିପାରେ?

30 ଦେଖ, ସେ ଆପଣା ଚତୁର୍ଦ୍ଦିଗରେ ନିଜ ଦୀପ୍ତି ବିସ୍ତାର କରନ୍ତି; ପୁଣି, ସେ ସମୁଦ୍ରର ତଳଭାଗ ଆବୃତ କରନ୍ତି।

31 କାରଣ ସେ ଏସବୁ ଦ୍ୱାରା ଗୋଷ୍ଠୀବର୍ଗର ଶାସନ କରନ୍ତି; ସେ ବହୁଳ ପରିମାଣରେ ଆହାର ଦିଅନ୍ତି।

32 ସେ ବିଜୁଳିରେ ଆପଣା ହସ୍ତ ଆଚ୍ଛାଦନ କରନ୍ତି ଓ ଲକ୍ଷ୍ୟ ସ୍ଥଳ ଆଘାତ କରିବାକୁ ଆଜ୍ଞା ଦିଅନ୍ତି।

33 ତହିଁର ଶବ୍ଦ ତାହାଙ୍କ ବିଷୟରେ ପରିଚୟ ଦିଏ, ପଶୁପଲ ମଧ୍ୟ ଆଗାମୀ ତୋଫାନ ବିଷୟ ଜଣାନ୍ତି।

Everything we make is available for free because of a generous community of supporters.

Donate