Menu

ଆୟୁବ 29

IRV

1 ଏଥିଉତ୍ତାରେ ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା,

2 “ଆହା, ମୁଁ ପୂର୍ବବର୍ତ୍ତୀ ମାସସବୁରେ, ପରମେଶ୍ୱର ମୋତେ ଜଗି ରଖିଥିବା ଦିନସମୂହରେ ଯେପରି ଥିଲି, ସେପରି ଯେବେ ଥାʼନ୍ତି;

3 ସେତେବେଳେ ତାହାଙ୍କ ପ୍ରଦୀପ ମୋʼ ମସ୍ତକ ଉପରେ ଆଲୁଅ ଦେଲା ଓ ମୁଁ ତାହାଙ୍କ ଦୀପ୍ତିରେ ଅନ୍ଧକାର ଦେଇ ଗମନ କଲି;

4 ମୁଁ ଉତ୍ତମ ଅବସ୍ଥାରେ ଥିଲି, ସେତେବେଳେ ମୋʼ ତମ୍ବୁ ଉପରେ ପରମେଶ୍ୱରଙ୍କର ଗୁପ୍ତ ବିଷୟ ଥିଲା;

5 ସେତେବେଳେ ସର୍ବଶକ୍ତିମାନ ପରମେଶ୍ୱର ମୋʼ ସଙ୍ଗରେ ଥିଲେ ଓ ମୋହର ସନ୍ତାନଗଣ ମୋʼ ଚତୁଃପାର୍ଶ୍ୱରେ ଥିଲେ;

6 ସେତେବେଳେ ମୋହର ଚରଣ ଦୁଗ୍ଧରେ ଧୌତ ହେଲା ଓ ଶୈଳ ମୋʼ ପାଇଁ ତୈଳ-ନଦୀ ବହାଇଲା।

7 ମୁଁ ନଗର-ଦ୍ୱାରକୁ ଯାଇ ଛକସ୍ଥାନରେ ଆପଣା ଆସନ ପ୍ରସ୍ତୁତ କଲେ,

8 ଯୁବା ଲୋକମାନେ ମୋତେ ଦେଖି ଲୁଚିଲେ ଓ ବୃଦ୍ଧ ଲୋକମାନେ ଉଠି ଠିଆ ହେଲେ।

9 ଅଧିପତିମାନେ କଥାବାର୍ତ୍ତା କରିବାରୁ ନିବୃତ୍ତ ହେଲେ ଓ ଆପଣା ଆପଣା ମୁଖରେ ହାତ ଦେଲେ;

10 କୁଳୀନମାନଙ୍କ ରବ ନିରସ୍ତ ହେଲା ଓ ସେମାନଙ୍କ ଜିହ୍ୱା ସେମାନଙ୍କ ମୁଖର ତାଳୁକାରେ ଲାଗି ରହିଲା।

11 କାରଣ କର୍ଣ୍ଣ ମୋʼ କଥା ଶୁଣନ୍ତେ, ମୋତେ କଲ୍ୟାଣ କଲା ଓ ଚକ୍ଷୁ ମୋତେ ଦେଖନ୍ତେ, ମୋʼ ପକ୍ଷରେ ସାକ୍ଷ୍ୟ ଦେଲା;

12 ଯେହେତୁ ମୁଁ ଆର୍ତ୍ତନାଦକାରୀ ଦରିଦ୍ରକୁ, ମଧ୍ୟ ଅସହାୟ ପିତୃହୀନକୁ ଉଦ୍ଧାର କଲି।

13 ନଷ୍ଟକଳ୍ପ ଲୋକର କଲ୍ୟାଣ ମୋʼ ଉପରେ ବର୍ତ୍ତିଲା ଓ ମୁଁ ବିଧବାର ହୃଦୟକୁ ଆନନ୍ଦରେ ଗାନ କରାଇଲି।

14 ମୁଁ ଧାର୍ମିକତା ପରିଧାନ କଲି ଓ ତାହା ମୋତେ ପରିଧାନ କଲା; ମୋହର ନ୍ୟାୟ ଆବରଣ ବସ୍ତ୍ର ଓ ମୁକୁଟ ସ୍ୱରୂପ ଥିଲା।

15 ମୁଁ ଅନ୍ଧ ପ୍ରତି ଚକ୍ଷୁ ସ୍ୱରୂପ ଓ ଛୋଟା ପ୍ରତି ଚରଣ ସ୍ୱରୂପ ଥିଲି।

16 ମୁଁ ଦୀନହୀନ ପ୍ରତି ପିତା ସ୍ୱରୂପ ଥିଲି ଓ ମୋʼ ଅଜ୍ଞାତ ଲୋକର ଗୁହାରି ମୁଁ ତଦନ୍ତ କଲି।

17 ଆଉ, ମୁଁ ଅଧାର୍ମିକର କଳପାଟି ଭାଙ୍ଗି ପକାଇଲି ଓ ତାହାର ଦନ୍ତରୁ ଶିକାର ଛଡ଼ାଇ ନେଲି।

18 ସେହି ସମୟରେ ମୁଁ କହିଲି, ମୁଁ ଆପଣା ବସାରେ ମରିବି ଓ ମୁଁ ବାଲୁକା ପରି ଆପଣା ଦିନ ବୃଦ୍ଧି କରିବି;

19 ମୋହର ଚେର ଜଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଅଛି ଓ ମୋହର ଶାଖା ଉପରେ ରାତ୍ରିସାରା କାକର ଥାଏ;

20 ମୋହର ଗୌରବ ମୋʼ ଠାରେ ସତେଜ ଥାଏ ଓ ମୋʼ ଧନୁ ମୋʼ ହସ୍ତରେ ନୂତନୀକୃତ ହୁଏ।

21 ଲୋକମାନେ ମୋʼ ଆଡ଼େ କର୍ଣ୍ଣ ଦେଇ ଅପେକ୍ଷା କଲେ ଓ ମୋହର ପରାମର୍ଶ ପାଇଁ ନୀରବ ରହିଲେ।

22 ମୋʼ କଥା ଉତ୍ତାରେ ସେମାନେ ଆଉ କଥା କହିଲେ ନାହିଁ; ପୁଣି, ମୋʼ କଥା ସେମାନଙ୍କ ଉପରେ ଟୋପା ଟୋପା ହୋଇ ପଡ଼ିଲା।

23 ଆଉ, ଯେପରି ବୃଷ୍ଟି ପାଇଁ, ସେପରି ସେମାନେ ମୋʼ ପାଇଁ ଅପେକ୍ଷା କଲେ ଓ ଯେପରି ଶେଷ ବୃଷ୍ଟି ପାଇଁ, ସେପରି ସେମାନେ ଆପଣା ଆପଣା ମୁଖ ପ୍ରଶସ୍ତ କରି ମେଲା କଲେ।

24 ମୁଁ ସେମାନଙ୍କ ପ୍ରତି ହସିଲେ ସେମାନେ ବିଶ୍ୱାସ କଲେ ନାହିଁ ଓ ମୋʼ ମୁଖର ତେଜ ନିସ୍ତେଜ କଲେ ନାହିଁ।

25 ମୁଁ ସେମାନଙ୍କ ପଥ ମନୋନୀତ କରି ପ୍ରଧାନ ହୋଇ ବସିଲି ଓ ସୈନ୍ୟଦଳ ମଧ୍ୟରେ ରାଜା ପରି ଓ ଶୋକାର୍ତ୍ତମାନଙ୍କର ସାନ୍ତ୍ୱନାକାରୀ ପରି ବାସ କଲି।

Everything we make is available for free because of a generous community of supporters.

Donate