Menu

ଏବ୍ରୀ 2

IRV

1 ଅତଏବ, ଶୁଣାଯାଇଥିବା ସତ୍ୟ ବାକ୍ୟ ପ୍ରତି ଅଧିକ ମନୋଯୋଗୀ ହେବା ଆମ୍ଭମାନଙ୍କର ଉଚିତ, ନୋହିଲେ କାଳେ ଆମ୍ଭେମାନେ ଲକ୍ଷ୍ୟଭ୍ରଷ୍ଟ ହେବୁ।

2 କାରଣ ଦୂତମାନଙ୍କ ଦ୍ୱାରା କଥିତ ବାକ୍ୟ ଯଦି ଅଟଳ ହୋଇ ରହିଲା, ଆଉ ପ୍ରତ୍ୟେକ ଆଜ୍ଞାଲଙ୍ଘନ ଓ ଅବାଧ୍ୟତା ଯଥାର୍ଥ ଦଣ୍ଡ ପାଇଲା,

3 ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଆମ୍ଭମାନଙ୍କ ନିକଟରେ ପ୍ରମାଣସିଦ୍ଧ ହେଲା;

4 ସେ ସମ୍ବନ୍ଧରେ ଈଶ୍ବର ମଧ୍ୟ ଆପଣା ଇଚ୍ଛାନୁସାରେ ନାନା ଚିହ୍ନ ଓ ଅଦ୍ଭୁତ କର୍ମ ପୁଣି, ବିବିଧ ଶକ୍ତିର କାର୍ଯ୍ୟ ଓ ପବିତ୍ର ଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ସାକ୍ଷ୍ୟ ଦେଇଅଛନ୍ତି।

5 କାରଣ ଯାହା ଭାବି ଜଗତର କଥା ଆମ୍ଭେମାନେ କହୁଅଛୁ, ତାହା ଈଶ୍ବର ଦୂତମାନଙ୍କ ଅଧୀନ କରି ନାହାନ୍ତି।

6 କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, “ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ?

7 ତୁମ୍ଭେ ଦୂତମାନଙ୍କଠାରୁ ତାହାକୁ ଅଳ୍ପ ନ୍ୟୂନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ,

8 ତୁମ୍ଭେ ତାହାର ଅଧୀନ କରି ସମସ୍ତ ବିଷୟ ପାଦ ତଳେ ରଖିଅଛ।” ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ବଶୀଭୂତ ନ କରି ଛାଡ଼ି ନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ,

9 କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍‍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ବରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି।

10 କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତା ଯୀଶୁଙ୍କ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ଈଶ୍ବରଙ୍କର ଉପଯୁକ୍ତ ଥିଲା।

11 ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ; ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହଁନ୍ତି,

12 ଯେପରି ସେ ଈଶ୍ବରଙ୍କୁ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସଭା ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,”

13 ପୁନଶ୍ଚ କହନ୍ତି, “ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି।” ପୁନର୍ବାର, “ଏହି ଦେଖ, ମୁଁ ଓ ଈଶ୍ବରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ।”

14 ଅତଏବ, ସନ୍ତାନମାନେ ରକ୍ତ-ମାଂସର ସହଭାଗୀ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍‍, ଶୟତାନକୁ ବିନାଶ କରିପାରନ୍ତି;

15 ପୁଣି, ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱର ବନ୍ଧନରେ ଥିଲେ, ସେମାନଙ୍କୁ ସେ ଉଦ୍ଧାର କରନ୍ତି।

16 କାରଣ ପ୍ରକୃତରେ ସେ ତ ଦୂତମାନଙ୍କ ଯତ୍ନ ନ ନେଇ ଅବ୍ରହାମଙ୍କ ସନ୍ତାନମାନଙ୍କ ଯତ୍ନ ନିଅନ୍ତି।

17 ଅତଏବ, ସମସ୍ତ ବିଷୟରେ ଆପଣା ଭ୍ରାତାମାନଙ୍କ ସଦୃଶ ହେବା ତାହାଙ୍କର ଉଚିତ୍ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଈଶ୍ବରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।

18 କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି।

Everything we make is available for free because of a generous community of supporters.

Donate