Menu

ଆଦି ପୁସ୍ତକ 2

IRV

1 ଏହିରୂପେ ଆକାଶମଣ୍ଡଳ ଓ ପୃଥିବୀର, ପୁଣି, ସେହି ଦୁଇସ୍ଥିତ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ ହେଲା।

2 ପରମେଶ୍ୱର ସପ୍ତମ ଦିନରେ ଆପଣାର କାର୍ଯ୍ୟ ସମାପ୍ତ କରି ସେହି ସପ୍ତମ ଦିନରେ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।

3 ପୁଣି, ପରମେଶ୍ୱର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ। ଯେହେତୁ ସେହି ଦିନରେ ପରମେଶ୍ୱର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ।

4 ସୃଷ୍ଟିକାଳରେ ଆକାଶମଣ୍ଡଳ ଓ ପୃଥିବୀର ବିବରଣ ଏହି। ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ,

5 ସେହି ସମୟରେ କ୍ଷେତ୍ରରେ କୌଣସି ତୃଣ ନ ଥିଲା ଓ ଭୂମିରେ କୌଣସି ଶାକ ନ ଥିଲା; ଯେହେତୁ ସଦାପ୍ରଭୁ ପରମେଶ୍ୱର ପୃଥିବୀରେ ବୃଷ୍ଟି କରାଇ ନ ଥିଲେ, ଆଉ କୃଷିକର୍ମ କରିବାକୁ ମନୁଷ୍ୟ ହିଁ ନ ଥିଲା।

6 ପୁଣି, ପୃଥିବୀରୁ ଏକ କୁହୁଡ଼ି ଉଠି ସମସ୍ତ ଭୂମିରେ ଜଳ ସିଞ୍ଚିଲା।

7 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।

8 ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବଦିଗସ୍ଥ ଏଦନ ନାମକ ସ୍ଥାନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ।

9 ସଦାପ୍ରଭୁ ପରମେଶ୍ୱର ସେହି ଭୂମିରୁ ନାନାଜାତୀୟ ସୁଦୃଶ୍ୟ ଓ ସୁଖାଦ୍ୟ ବୃକ୍ଷ, ପୁଣି, ସେହି ଉଦ୍ୟାନର ମଧ୍ୟସ୍ଥାନରେ ଅମୃତ ବୃକ୍ଷ ଓ ସଦସତ୍‍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କଲେ।

10 ଉଦ୍ୟାନରେ ଜଳସେଚନାର୍ଥେ ଏଦନରୁ ଗୋଟିଏ ନଦୀ ନିର୍ଗତ ହୋଇ ସେହି ସ୍ଥାନରୁ ଭିନ୍ନ ଭିନ୍ନ ଚାରିଧାର ହେଲା।

11 ପ୍ରଥମ ନଦୀର ନାମ ପିଶୋନ; ତାହା ସ୍ୱର୍ଣ୍ଣୋତ୍ପାଦକ ହବୀଲା ଦେଶସମୂହକୁ ବେଷ୍ଟନ କରେ।

12 ସେହି ଦେଶର ସୁବର୍ଣ୍ଣ ଉତ୍ତମ, ପୁଣି, ସେଠାରେ ମୁକ୍ତା ଓ ଗୋମେଦକ ମଣି ଜନ୍ମଇ।

13 ଦ୍ୱିତୀୟ ନଦୀର ନାମ ଗୀହୋନ; ଏହା ସମସ୍ତ କୂଶ ଦେଶ ବେଷ୍ଟନ କରେ।

14 ତୃତୀୟ ନଦୀର ନାମ ହିଦ୍ଦେକଲ, ଏହା ପୂର୍ବ ଅଶୂରୀୟ ଦେଶର ସମ୍ମୁଖ ଦେଇ ଗମନ କରେ। ଚତୁର୍ଥ ନଦୀର ନାମ ଫରାତ୍‍।

15 ପୁଣି, ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ।

16 ସଦାପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, “ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର,

17 ମାତ୍ର, ସଦସତ୍‍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ।”

18 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା।”

19 ଆଉ ସଦାପ୍ରଭୁ ପରମେଶ୍ୱର ଭୂମିରୁ ବିଲର ପଶୁଗଣ ଓ ଖେଚର ପକ୍ଷୀଗଣ ନିର୍ମାଣ କରି ଆଦମ ସେମାନଙ୍କୁ କି ନାମ ଦେବେ, ଏହା ଜାଣିବା ପାଇଁ ସମସ୍ତଙ୍କୁ ତାଙ୍କ ନିକଟକୁ ଆଣିଲେ। ତହିଁରେ ଆଦମ ସେହି ପ୍ରାଣୀବର୍ଗ ମଧ୍ୟରୁ ଯାହାକୁ ଯେଉଁ ନାମ ଦେଲେ, ତାହାର ସେହି ନାମ ହେଲା।

20 ଏହିରୂପେ ଆଦମ ପଶୁ, ଖେଚର ପକ୍ଷୀ ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ; ମାତ୍ର, ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ।

21 ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜରା ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ।

22 ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କଠାରୁ ଯେଉଁ ପଞ୍ଜରା ଖଣ୍ଡିକ ନେଲେ, ତଦ୍ଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ।

23 ତହୁଁ ଆଦମ କହିଲେ, “ଏଥର ହେଲା; ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ; ଏହାର ନାମ ନାରୀ, ଯେହେତୁ ଏ ନରଠାରୁ ନୀତା ହୋଇଅଛି।”

24 ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ।

25 ଆଦମ ଓ ତାଙ୍କର ଭାର୍ଯ୍ୟା, ଦୁହେଁ ଉଲଙ୍ଗ ଥିଲେ ହେଁ ସେମାନଙ୍କର ଲଜ୍ଜାବୋଧ ନ ଥିଲା।

Everything we make is available for free because of a generous community of supporters.

Donate