Menu

ଏଷ୍ଟର 2

IRV

1 ଏହିସବୁ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜାଙ୍କ କ୍ରୋଧ ଶାନ୍ତ ହୁଅନ୍ତେ, ସେ ବଷ୍ଟୀକୁ ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲେ।

2 ତେଣୁ ରାଜାଙ୍କ ସେବାକାରୀ ଭୃତ୍ୟମାନେ ତାହାଙ୍କୁ କହିଲେ, “ମହାରାଜାଙ୍କ ପାଇଁ ସୁନ୍ଦରୀ ଯୁବତୀ କନ୍ୟାଗଣର ଅନ୍ଵେଷଣ କରାଯାଉ।

3 ଆଉ, ମହାରାଜା ଆପଣା ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଚାରୀଗଣ ନିଯୁକ୍ତ କରନ୍ତୁ; ସେମାନେ ସେହି ସବୁ ସୁନ୍ଦରୀ ଯୁବତୀ କନ୍ୟାଗଣକୁ ଶୂଶନ୍‍ ରାଜଧାନୀରେ ଏକତ୍ର କରି ଅନ୍ତଃପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ; ପୁଣି, ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ,

4 ତହିଁ ଉତ୍ତାରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟିକାରିଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ;” ଏହି କଥାରେ ରାଜାଙ୍କ ସନ୍ତୋଷ ହୁଅନ୍ତେ, ସେ ସେପରି କଲେ।

5 ସେହି ସମୟରେ ମର୍ଦ୍ଦଖୟ ନାମେ ଜଣେ ଯିହୁଦୀୟ ଲୋକ ଶୂଶନ୍‍ ରାଜଧାନୀରେ ଥିଲେ, ସେ ବିନ୍ୟାମୀନ ବଂଶୀୟ ଯାୟୀରର ପୁତ୍ର, ଶିମୀୟିର ପୌତ୍ର, କୀଶ୍‍ର ପ୍ରପୌତ୍ର।

6 ଯେଉଁ ଲୋକମାନେ ଯିହୁଦାର ରାଜା ଯିକନୀୟ ସହିତ ବାବିଲର ରାଜା ନବୂଖଦ୍‍ନିତ୍ସର ଦ୍ୱାରା ନିର୍ବାସିତ ହୋଇଥିଲେ, ସେମାନଙ୍କ ସହିତ (କୀଶ୍‍) ଯିରୂଶାଲମଠାରୁ ନିର୍ବାସିତ ହୋଇଥିଲେ।

7 ମର୍ଦ୍ଦଖୟ ଆପଣା ପିତୃବ୍ୟର କନ୍ୟା ହଦସାକୁ, ଅର୍ଥାତ୍‍, ଏଷ୍ଟରଙ୍କୁ ପ୍ରତିପାଳନ କଲେ; କାରଣ ତାହାର ପିତା କି ମାତା ନ ଥିଲେ, ସେହି କନ୍ୟା ପରମସୁନ୍ଦରୀ ଓ ସୁବଦନା ଥିଲେ; ତାହାର ପିତାମାତା ମଲା ଉତ୍ତାରେ ମର୍ଦ୍ଦଖୟ ତାହାଙ୍କୁ ନିଜ କନ୍ୟା ରୂପେ ଗ୍ରହଣ କରିଥିଲେ।

8 ଏଉତ୍ତାରୁ ରାଜାଙ୍କ ସେହି ବାକ୍ୟ ଓ ଆଜ୍ଞା ପ୍ରଚାରିତ ହୁଅନ୍ତେ, ଶୂଶନ୍‍ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟର ହିଁ ରାଜପୁରୀକୁ ସ୍ତ୍ରୀରକ୍ଷକ ହେଗୟ ନିକଟକୁ ନିଆଗଲା।

9 ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା; ଏଣୁ ସେ ଶୀଘ୍ର ଅଙ୍ଗରାଗାର୍ଥକ ଦ୍ରବ୍ୟାଦିର ଯେ ଯେ ଅଂଶ ତାହାଙ୍କୁ ଦେବାର ହୁଅଇ, ତାହା ଓ ରାଜଗୃହରୁ ମନୋନୀତା ସାତ ଦାସୀ ତାହାଙ୍କୁ ଦେଲା; ଆଉ, ସେ ତାହାଙ୍କୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା।

10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚୟ କାହାକୁ ଦେଲେ ନାହିଁ, କାରଣ ମର୍ଦ୍ଦଖୟ ତାହା ନ ଜଣାଇବାକୁ ତାହାଙ୍କୁ ଆଜ୍ଞା କରିଥିଲେ।

11 ଏଥିଉତ୍ତାରେ ଏଷ୍ଟର କିପରି ଅଛି ଓ ତାହା ପ୍ରତି କʼଣ କରାଯିବ, ଏହା ଜାଣିବା ପାଇଁ ମର୍ଦ୍ଦଖୟ ପ୍ରତିଦିନ ଅନ୍ତଃପୁରର ପ୍ରାଙ୍ଗଣ ସମ୍ମୁଖରେ ଯାତାୟାତ କଲେ।

12 ପୁଣି, ଦ୍ୱାଦଶ ମାସ ପର୍ଯ୍ୟନ୍ତ ସ୍ତ୍ରୀଲୋକଙ୍କ ନିୟମିତ ସେବା ପାଇଲା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ନିକଟକୁ ଏକ ଏକ କନ୍ୟାର ଯିବାର ପାଳି ଉପସ୍ଥିତ ହେଲା; କାରଣ ସେମାନଙ୍କ ଅଙ୍ଗସଂସ୍କାରରେ ଏତେ ଦିନ ଲାଗିଲା, ଅର୍ଥାତ୍‍, ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା;

13 ପୁଣି, ରାଜା ନିକଟକୁ ଯିବାକୁ ହେଲେ, ପ୍ରତ୍ୟେକ ଯୁବତୀ ନିମନ୍ତେ ଏହି ନିୟମ ଥିଲା ଯେ, ସେ କୌଣସି ଦ୍ରବ୍ୟ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସଙ୍ଗେ ନେବା ନିମନ୍ତେ ତାହା ତାକୁ ଦିଆଯାଉଥିଲା।

14 ସେ ସନ୍ଧ୍ୟାକାଳରେ ଯାଇ ପ୍ରଭାତରେ ଉପପତ୍ନୀଗଣର ରକ୍ଷକ ରାଜନପୁଂସକ ଶାଶ୍‍ଗସର ନିକଟକୁ ଦ୍ୱିତୀୟ ଅନ୍ତଃପୁରକୁ ଫେରି ଆସିଲେ; ରାଜା ତାହା ପ୍ରତି ତୁଷ୍ଟ ହୋଇ ଯେପର୍ଯ୍ୟନ୍ତ ତାହାର ନାମ ଧରି ନ ଡକାଇଲେ, ସେ ରାଜା ନିକଟକୁ ପୁନର୍ବାର ଯିବ ନାହିଁ।

15 ଏଉତ୍ତାରୁ ମର୍ଦ୍ଦଖୟ ଆପଣା ପିତୃବ୍ୟ ଅବୀହୟିଲର ଯେଉଁ ଏଷ୍ଟର ନାମ୍ନୀ କନ୍ୟାକୁ ନିଜ କନ୍ୟା ରୂପେ ଗ୍ରହଣ କରିଥିଲେ, ରାଜା ନିକଟକୁ ତାହାର ଯିବାର ପାଳି ପଡ଼ନ୍ତେ, ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟ ଯାହା ଯାହା ନିରୂପଣ କରିଥିଲେ, ତାହା ଛଡ଼ା ସେ ଆଉ କିଛି ମାଗିଲା ନାହିଁ; ତଥାପି ଯେଉଁମାନେ ଏଷ୍ଟର ପ୍ରତି ଦୃଷ୍ଟି କଲେ, ସେସମସ୍ତେ ତାହାଙ୍କୁ ଅନୁଗ୍ରହ କଲେ।

16 ରାଜାଙ୍କ ରାଜତ୍ଵର ସପ୍ତମ ବର୍ଷର ଦଶମ ମାସରେ, ଅର୍ଥାତ୍‍, ଟେବେତ୍‍ ମାସରେ, ଏଷ୍ଟର ରାଜଗୃହକୁ ଅକ୍ଷଶ୍ୱେରଶ ରାଜା ନିକଟକୁ ନିଆଗଲା।

17 ତହିଁରେ ରାଜା ଅନ୍ୟ ସକଳ ସ୍ତ୍ରୀଠାରୁ ଏଷ୍ଟରଙ୍କୁ ଅଧିକ ପ୍ରେମ କଲେ, ପୁଣି ଅନ୍ୟ ସକଳ ଯୁବତୀଠାରୁ ସେ ରାଜାଙ୍କ ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପାଇଲା; ଏଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇ ବଷ୍ଟୀ ବଦଳେ ତାକୁ ରାଣୀ କଲେ।

18 ଏଥିଉତ୍ତାରେ ରାଜା ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟରଙ୍କ ଭୋଜ ବୋଲି ମହାଭୋଜ ପ୍ରସ୍ତୁତ କଲେ ଓ ସବୁ ପ୍ରଦେଶର କର-ମୋଚନ କଲେ ଓ ରାଜାଙ୍କ ଉଦାରତାନୁସାରେ ଦାନ କଲେ।

19 କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିଲେ।

20 ଏଷ୍ଟର ମର୍ଦ୍ଦଖୟର ଆଜ୍ଞାନୁସାରେ ଆପଣା ବଂଶ ଓ କୁଟୁମ୍ବର ପରିଚୟ କାହାକୁ ହିଁ ଦେଲା ନାହିଁ; କାରଣ ଏଷ୍ଟର ମର୍ଦ୍ଦଖୟ ନିକଟରେ ପ୍ରତିପାଳିତା ହେବା ସମୟରେ ଯେପରି କରୁଥିଲେ, ସେତେବେଳେ ମଧ୍ୟ ସେପରି ତାହାର ଆଜ୍ଞା ପାଳନ କଲେ।

21 ସେହି ସମୟରେ ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ, ଦ୍ୱାରପାଳମାନଙ୍କ ମଧ୍ୟରେ ବିଗ୍‍ଥନ୍‍ ଓ ତେରଶ୍‍ ନାମରେ ରାଜଗୃହର ଦୁଇ ନପୁଂସକ କ୍ରୁଦ୍ଧ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଚେଷ୍ଟା କଲେ।

22 ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀଙ୍କୁ ଜଣାଇଲେ; ପୁଣି, ଏଷ୍ଟର ମର୍ଦ୍ଦଖୟ ନାମ ନେଇ ରାଜାଙ୍କୁ ତାହା ଜଣାଇଲେ।

23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହୁଅନ୍ତେ, ସେହି ଦୁଇ ଜଣ ବୃକ୍ଷରେ ଫାଶୀ ପାଇଲେ, ଆଉ ସେହି କଥା ରାଜାଙ୍କ ସାକ୍ଷାତରେ ଇତିହାସ ପୁସ୍ତକରେ ଲେଖାଗଲା।

Everything we make is available for free because of a generous community of supporters.

Donate