Menu

୨ କରିନ୍ଥୀୟ 13

IRV

1 ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି। “ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।”

2 ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିଥିଲି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ;

3 ଯେଣୁ ଯେଉଁ ଖ୍ରୀଷ୍ଟ ମୋʼ ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ;

4 କିନ୍ତୁ ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ବରଙ୍କ ଶକ୍ତି ହେତୁ ସେ ଜୀବିତ। ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ବରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା।

5 ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ।

6 କିନ୍ତୁ ମୁଁ ଭରସା କରେ, ଆମ୍ଭେମାନେ ଯେ ପରୀକ୍ଷାସିଦ୍ଧ, ଏହା ତୁମ୍ଭେମାନେ ଜାଣିବ।

7 ମାତ୍ର ତୁମ୍ଭେମାନେ ଯେପରି କୌଣସି ମନ୍ଦ କର୍ମ ନ କର, ଏଥିପାଇଁ ଆମ୍ଭେମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ; ଆମ୍ଭେମାନେ ଯେପରି ପରୀକ୍ଷାସିଦ୍ଧ ବୋଲି ଦେଖାଯାଉ, ଏଥିନିମନ୍ତେ ପ୍ରାର୍ଥନା କରୁ ନାହୁଁ, ମାତ୍ର ପରୀକ୍ଷାସିଦ୍ଧ ନ ହେବା ପରି ଦେଖାଗଲେ ସୁଦ୍ଧା ଯେପରି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କର, ଏଥିପାଇଁ ପ୍ରାର୍ଥନା କରୁଅଛୁ।

8 କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରିପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରିପାରୁ।

9 ଯେଣୁ ଆମ୍ଭେମାନେ ଯେତେବେଳେ ଦୁର୍ବଳ ଓ ତୁମ୍ଭେମାନେ ସବଳ, ସେତେବେଳେ ଆମ୍ଭେମାନେ ଆନନ୍ଦ କରୁ; ତୁମ୍ଭେମାନେ ଯେପରି ସିଦ୍ଧ ହୁଅ, ଏହା ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁ।

10 ଏଥିନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହିସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ।

11 ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ବର ତୁମ୍ଭମାନଙ୍କ ସହିତ ରହିବେ।

12 ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର।

13 ସମସ୍ତ ସାଧୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।

14 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ବରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।

Everything we make is available for free because of a generous community of supporters.

Donate