Menu

ଦ୍ୱିତୀୟ ବଂଶାବଳୀ 2

IRV

1 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଗୃହ ଓ ଆପଣା ରାଜ୍ୟ ପାଇଁ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କଲେ।

2 ପୁଣି ଶଲୋମନ ଭାରବହନାର୍ଥେ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ସେମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ ତିନି ହଜାର ଛଅ ଶହ ଲୋକ ନିଯୁକ୍ତ କଲେ।

3 ଆଉ ଶଲୋମନ ସୋରର ରାଜା ହୂରମ୍‍ ନିକଟକୁ ଲୋକ ପଠାଇ କହିଲେ, “ଆପଣ ମୋʼ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି-ଗୃହର ନିର୍ମାଣ ନିମନ୍ତେ ଏରସ କାଷ୍ଠ ପଠାଇଥିଲେ, ସେହିପରି ମୋʼ ପ୍ରତି ବ୍ୟବହାର କରନ୍ତୁ।

4 ଦେଖନ୍ତୁ, ମୁଁ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜ୍ୱଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୁଟି ପାଇଁ, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିରୂପିତ ପର୍ବସବୁରେ ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି। ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ।

5 ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି, ତାହା ବୃହତ ହେବ; କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ୱର ମହାନ ଅଟନ୍ତି।

6 ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ? ଯେହେତୁ ସ୍ୱର୍ଗ ଓ ସ୍ୱର୍ଗର ସ୍ୱର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ; ତେବେ ମୁଁ କିଏ ଯେ, ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜ୍ୱଳାଇବା ପାଇଁ ତାହା କରିବି।

7 ଏହେତୁ ମୋʼ ପିତା ଦାଉଦଙ୍କ ଦ୍ୱାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଯିହୁଦାରେ ଓ ଯିରୂଶାଲମରେ ମୋʼ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା, ରୂପା, ପିତ୍ତଳ, ଲୁହା, ଧୂମ୍ର, ସିନ୍ଦୂର ଓ ନୀଳ ସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ-କର୍ମରେ ନିପୁଣ ଏକ ଲୋକକୁ ମୋʼ ନିକଟକୁ ପଠାଉନ୍ତୁ।

8 ଆହୁରି ଲିବାନୋନରୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋʼ ନିକଟକୁ ପଠାଉନ୍ତୁ; କାରଣ ମୁଁ ଜାଣେ, ଆପଣଙ୍କ ଦାସମାନେ ଲିବାନୋନରେ କାଷ୍ଠ କାଟିବାରେ ନିପୁଣ;

9 ଆଉ ଦେଖନ୍ତୁ, ମୋʼ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ; ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହା ଆଶ୍ଚର୍ଯ୍ୟ ଓ ବୃହତ ହେବ।

10 ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳୀମାନଙ୍କୁ କୋଡ଼ିଏ ହଜାର ମହଣ ମଳା ଗହମ ଓ କୋଡ଼ିଏ ହଜାର ମହଣ ଯବ ଓ କୋଡ଼ିଏ ହଜାର ମହଣ ଦ୍ରାକ୍ଷାରସ ଓ କୋଡ଼ିଏ ହଜାର ମହଣ ତୈଳ ଦେବି।”

11 ତହିଁରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, “ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି।”

12 ହୂରମ୍‍ ଆହୁରି କହିଲା, “ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନାବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।

13 ଏବେ ମୁଁ ମୋʼ ପିତା ହୂରମ୍‍ଙ୍କର ଏକ ଜଣ ନିପୁଣ ବୁଦ୍ଧିମାନ ଲୋକ ପଠାଇଲି,

14 ସେ ଦାନ୍ ବଂଶୀୟା ଏକ ସ୍ତ୍ରୀର ପୁତ୍ର, ତାହାର ପିତା ସୋରୀୟ ଲୋକ ଥିଲା, ସେ ସୁନା, ରୂପା, ପିତ୍ତଳ, ଲୁହା, ପ୍ରସ୍ତର, କାଷ୍ଠ ଓ ଧୂମ, ନୀଳ, କ୍ଷୌମ ଓ ସିନ୍ଦୂର ବର୍ଣ୍ଣ ସୂତ୍ରର କାର୍ଯ୍ୟରେ, ମଧ୍ୟ ସର୍ବପ୍ରକାର ଖୋଦନ କାର୍ଯ୍ୟ ଓ ସର୍ବପ୍ରକାର କଳ୍ପନାର କାର୍ଯ୍ୟ କରିବାକୁ ନିପୁଣ; ତାହାକୁ ଆପଣଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ଓ ଆପଣଙ୍କ ପିତା ମୋʼ ପ୍ରଭୁ ଦାଉଦଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଉ।

15 ଏହେତୁ ମୋʼ ପ୍ରଭୁ ଯେଉଁ ଗହମ ଓ ଯବ, ତୈଳ ଓ ଦ୍ରାକ୍ଷାରସ ବିଷୟ କହିଅଛନ୍ତି, ତାହା ସେ ଆପଣା ଦାସମାନଙ୍କ ନିକଟକୁ ପଠାଇ ଦେଉନ୍ତୁ;

16 ତହିଁରେ ଆପଣଙ୍କ ଯେତେ କାଷ୍ଠ ପ୍ରୟୋଜନ ହେବ, ତାହା ଆମ୍ଭେମାନେ ଲିବାନୋନରୁ କାଟିବୁ; ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ର ପଥରେ ଯାଫୋରେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବୁ; ତହୁଁ ଆପଣ ତାହା ଯିରୂଶାଲମକୁ ନେଇଯିବେ।”

17 ଏଥିଉତ୍ତାରେ ଶଲୋମନ ଆପଣା ପିତା ଦାଉଦଙ୍କର କୃତ ଗଣନା ଉତ୍ତାରେ ଇସ୍ରାଏଲ ଦେଶରେ ପ୍ରବାସକାରୀ ବିଦେଶୀ ସମସ୍ତଙ୍କୁ ଗଣନା କଲେ; ତହିଁରେ ଏକ ଲକ୍ଷ ତେପନ ହଜାର ଛଅ ଶହ ଲୋକ ମିଳିଲେ।

18 ତହୁଁ ସେ ସେମାନଙ୍କ ମଧ୍ୟରୁ ଭାର ବହିବା ପାଇଁ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ଲୋକମାନଙ୍କୁ କାର୍ଯ୍ୟ କରାଇବା ପାଇଁ ତିନି ହଜାର ଛଅ ଶହ କାର୍ଯ୍ୟଶାସକଙ୍କୁ ନିଯୁକ୍ତ କଲେ।

Everything we make is available for free because of a generous community of supporters.

Donate