Menu

ପ୍ରଥମ ଶାମୁୟେଲ 11

IRV

1 ଏଥିଉତ୍ତାରେ ଅମ୍ମୋନୀୟ ନାହଶ୍‍ ଆସି ଯାବେଶ-ଗିଲୀୟଦ ସମ୍ମୁଖରେ ଛାଉଣି ସ୍ଥାପନ କଲା; ତହିଁରେ ଯାବେଶର ସମସ୍ତ ଲୋକ ନାହଶ୍‍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା।”

2 ତହୁଁ ଅମ୍ମୋନୀୟ ନାହଶ୍‍ ସେମାନଙ୍କୁ ଉତ୍ତର କଲା, “ତୁମ୍ଭ ସମସ୍ତଙ୍କର ଦକ୍ଷିଣ ଚକ୍ଷୁ ଉପୁଡ଼ାଗଲେ ମୁଁ ତୁମ୍ଭମାନଙ୍କ ସହିତ ନିୟମ ସ୍ଥିର କରିବି; ଆଉ ମୁଁ ତଦ୍ଦ୍ୱାରା ସମସ୍ତ ଇସ୍ରାଏଲ ଉପରେ ଅପମାନ ଥୋଇବି।”

3 ତେବେ ଯାବେଶର ପ୍ରାଚୀନମାନେ ତାହାକୁ କହିଲେ, “ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭେମାନେ ଇସ୍ରାଏଲ ସୀମାର ସର୍ବତ୍ର ଦୂତ ପଠାଇବା; ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭେମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ।”

4 ଏଥିଉତ୍ତାରେ ଦୂତମାନେ ଶାଉଲଙ୍କ ବାସସ୍ଥାନ ଗିବୀୟାକୁ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ସେହି ସବୁ କଥା କହିଲେ; ତହିଁରେ ସମସ୍ତ ଲୋକ ଆପଣା ଆପଣା ରବ ଉଠାଇ ରୋଦନ କଲେ।

5 ଏହି ସମୟରେ ଦେଖ, ଶାଉଲ କ୍ଷେତ୍ରରୁ ବଳଦମାନଙ୍କ ପଛେ ଆସୁ ଆସୁ ଉପସ୍ଥିତ ହେଲେ; ଆଉ ଶାଉଲ ପଚାରିଲେ, “ଲୋକମାନଙ୍କର କଅଣ ହେଲା ଯେ, ସେମାନେ ରୋଦନ କରୁଅଛନ୍ତି?” ତହିଁରେ ସେମାନେ ଯାବେଶର ଲୋକମାନଙ୍କ କଥା ତାଙ୍କୁ ଜଣାଇଲେ।

6 ସେହି କଥା ଶୁଣିବାମାତ୍ରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କୁ ଆକ୍ରାନ୍ତ କରନ୍ତେ, ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା।

7 ତହୁଁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, “ଯେକେହି ବାହାରି ଶାଉଲ ଓ ଶାମୁୟେଲଙ୍କର ପଶ୍ଚାଦ୍‍ଗମନ ନ କରେ, ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ।” ତହୁଁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ, ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ।

8 ତେବେ ସେ ବେଷକରେ ସେମାନଙ୍କୁ ଗଣନା କଲେ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତିନି ଲକ୍ଷ ଓ ଯିହୁଦାର ତିରିଶ ହଜାର ଲୋକ ହେଲେ।

9 ଏଥିଉତ୍ତାରେ ସେମାନେ ସେହି ଆଗତ ଦୂତମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ-ଗିଲୀୟଦର ଲୋକମାନଙ୍କୁ କୁହ, କାଲି ଖରା ବେଳେ ତୁମ୍ଭେମାନେ ଉଦ୍ଧାର ପାଇବ;” ତହିଁରେ ଦୂତମାନେ ଆସି ଯାବେଶର ଲୋକମାନଙ୍କୁ ତାହା ଜଣାନ୍ତେ, ସେମାନେ ଆନନ୍ଦିତ ହେଲେ।

10 ଏନିମନ୍ତେ ଯାବେଶର ଲୋକମାନେ (ନାହଶ୍‍କୁ) କହିଲେ, “କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ବାହାର ହୋଇ ଯିବା, ତହିଁରେ ତୁମ୍ଭମାନଙ୍କ ଦୃଷ୍ଟିକି ଯାହା ଭଲ ଦିଶେ, ତାହା ଆମ୍ଭ ସମସ୍ତଙ୍କ ପ୍ରତି କରିବ।”

11 ପରଦିନ ଶାଉଲ ଲୋକମାନଙ୍କୁ ତିନି ଦଳ କଲେ; ତେଣୁ ସେମାନେ ପ୍ରଭାତୀୟ ପ୍ରହରରେ ଅମ୍ମୋନୀୟମାନଙ୍କ ଛାଉଣି ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ; ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ, ସେମାନଙ୍କର ଦୁଇ ଜଣ ଏକତ୍ର ରହିଲେ ନାହିଁ।

12 ଏଥିଉତ୍ତାରେ ଲୋକମାନେ ଶାମୁୟେଲଙ୍କୁ କହିଲେ, “କିଏ କହୁଥିଲା କି, ‘ଶାଉଲ ଆମ୍ଭମାନଙ୍କ ଉପରେ ରାଜା ହେବ?’ ସେହି ଲୋକମାନଙ୍କୁ ଆଣ, ଆମ୍ଭେମାନେ ସେମାନଙ୍କୁ ବଧ କରିବା।”

13 ମାତ୍ର ଶାଉଲ କହିଲେ, “ଆଜି କୌଣସି ଲୋକର ପ୍ରାଣଦଣ୍ଡ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି।”

14 ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଗିଲ୍‍ଗଲ୍‍କୁ ଯାଇ ସେଠାରେ ପୁନର୍ବାର ରାଜତ୍ୱ ସ୍ଥିର କରିବା।”

15 ତହିଁରେ ସମସ୍ତ ଲୋକ ଗିଲ୍‍ଗଲ୍‍କୁ ଗଲେ ଓ ସେହି ଗିଲ୍‍ଗଲ୍‍ରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜା କଲେ; ଆଉ ସେସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ; ପୁଣି, ସେହି ସ୍ଥାନରେ ଶାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହାଆନନ୍ଦ କଲେ।

Everything we make is available for free because of a generous community of supporters.

Donate