Menu

୧ କରିନ୍ଥୀୟ 8

IRV

1 ଦେବପ୍ରସାଦ ସମ୍ବନ୍ଧରେ ମୋହର ଉତ୍ତର ଏହି, ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି ବୋଲି ତୁମ୍ଭେମାନେ ଯାହା କହୁଅଛ, ତାହା ଆମ୍ଭେମାନେ ଜାଣୁ। ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମରୁ ନିଷ୍ଠା ଜାତ ହୁଏ।

2 ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ଜାଣିବା ଉଚିତ୍, ସେ ଏପର୍ଯ୍ୟନ୍ତ ସେପରି ଜାଣି ନାହିଁ;

3 କିନ୍ତୁ ଯଦି କେହି ଈଶ୍ବରଙ୍କୁ ପ୍ରେମ କରେ, ସେହି ଜଣ ତାହାଙ୍କ ପରିଚିତ।

4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ବର ବିନା ଦ୍ୱିତୀୟ ନାହିଁ।

5 କାରଣ ସ୍ୱର୍ଗରେ ହେଉ ବା ପୃଥିବୀରେ ହେଉ, ଯେଉଁମାନଙ୍କୁ ଦେବତା ବୋଲି କୁହାଯାଏ, ଯଦ୍ୟପି ସେମାନେ ଥାଇ ପାରନ୍ତି (ଏପରି ତ ଅନେକ ଦେବତା ଓ ଅନେକ ପ୍ରଭୁ ଅଛନ୍ତି),

6 ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ବର, ଅର୍ଥାତ୍‍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍‍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ।

7 ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ; କିନ୍ତୁ କେତେକ ଲୋକ ଏପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ।

8 କିନ୍ତୁ ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରାଏ ନାହିଁ; ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ।

9 କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ।

10 କାରଣ ଜ୍ଞାନୀ ଯେ ତୁମ୍ଭେ, ତୁମ୍ଭକୁ ଯଦି କେହି ପ୍ରତିମାର ମନ୍ଦିରରେ ଭୋଜନରେ ବସିବାର ଦେଖେ, ତେବେ ସେ ଦୁର୍ବଳ ହୋଇଥିଲେ ତାହାର ବିବେକ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସିକ ହେବ ନାହିଁ?

11 ଏଣୁ ଯେଉଁ ଦୁର୍ବଳ ଭ୍ରାତା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ସେ ତୁମ୍ଭ ଜ୍ଞାନ ଦ୍ୱାରା ନଷ୍ଟ ହେଉଅଛି।

12 ଏହି ପ୍ରକାରେ ଭାଇମାନଙ୍କ ବିରୁଦ୍ଧରେ ପାପ କରି ଓ ସେମାନଙ୍କ ଦୁର୍ବଳ ବିବେକକୁ ଆଘାତ କରି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଅଛ।

13 ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋʼ ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କଦାପି ମାଂସ ଖାଇବି ନାହିଁ।

Everything we make is available for free because of a generous community of supporters.

Donate